ଜେଏମଜେ ନ୍ୟୁଜ : ଓଡ଼ିଶାକୁ ମାଡ଼ି ଆସୁଛି ବାତ୍ୟା । ଆସନ୍ତାକାଲି ଅବପାତ ସୃଷ୍ଟି ହେବା ପରେ ୨୫ରେ ଗଭୀର ଅବପାତରେ ପରିଣତ ହେବ । ଏହାପରେ ୨୬ ସକାଳ ବେଳକୁ ଏହା ବାତ୍ୟାର ରୂପ ନେଇପାରେ । ତେବେ ଆଗକୁ ସମୁଦ୍ର ମଧ୍ୟରେ ଏହା ଅଧିକ ଘନୀଭୂତ ହୋଇପାରେ ବୋଲି ପାଣିପାଗ ବିଭାଗ ପକ୍ଷରୁ କୁହାଯାଇଛି । ତେବେ ଏହି ସମ୍ଭାବ୍ୟ ବାତ୍ୟ ପଶ୍ଚିମ ଓ ଉତ୍ତର ପଶ୍ଚିମ ଦିଗରେ ଗତି କରି ୨୮ ସକାଳେ ଉପକୂଳ ଛୁଇଁବା ସମ୍ଭାବନା ରହିଛି ।
ସେପଟେ ସମ୍ଭାବ୍ୟ ବାତ୍ୟା ପ୍ରଭାବରେ ଲଗାଣ ବର୍ଷାକୁ ନେଇ ରେଡ୍ ଆଲର୍ଟ ଜାରି କରିଛି ପାଣିପାଗ ବିଭାଗ । ସମ୍ଭାବ୍ୟ ବାତ୍ୟା ପ୍ରଭାବରେ ଅକ୍ଟୋବର ୨୭ରୁ ୨୯ ତାରିଖ ମଧ୍ୟରେ ଉପକୂଳ ସମେତ ଦକ୍ଷିଣ ଓଡ଼ିଶାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହୋଇପାରେ ।
ଅକ୍ଟୋବର ୨୬ରେ ମୟୂରଭଞ୍ଜ, କେଉଁଝର, ବାଲେଶ୍ୱର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା, କଟକ, ଜଗତସିଂହପୁର, ପୁରୀ, ଖୋର୍ଦ୍ଧା, ନୟାଗଡ, ଗଞ୍ଜାମ, ଓ ଗଜପତି ଜିଲ୍ଲାରେ ବିଜୁଳି ଘଡ଼ଘଡ଼ି ସହ ବର୍ଷା ଓ ପବନ ବହିବାର ସମ୍ଭାବନା ଥିବାରୁ ଆଞ୍ଚଳିକ ପାଣିପାଗ ବିଭାଗ ପକ୍ଷରୁ ୟେଲୋ ଆଲର୍ଟ ଜାରି ହୋଇଛି ।
ସେହିପରି ୨୭ ତାରିଖ ସକାଳୁ ବଢିବ ବର୍ଷାର ପରିମାଣ । ଗଞ୍ଜାମ, ଗଜପତି ଓ ପୁରୀରେ ଭୀଷଣ ବର୍ଷା ପାଇଁ ରେଡ୍ ଆଲର୍ଟ ଜାରି ହୋଇଥିବା ବେଳେ ମାଲକାନଗିରି, କୋରାପୁଟ, ରାୟଗଡା କନ୍ଧମାଳ, ନୟାଗଡ଼, ଖୋର୍ଦ୍ଧା, କଟକ, କେନ୍ଦ୍ରାପଡା, ଜଗତସିଂପୁର, ଯାଜପୁର, ଢେଙ୍କାନାଳ, ମୟୂରଭଞ୍ଜ, କେଉଁଝର, ବାଲେଶ୍ୱର ଓ ଭଦ୍ରକ ଜିଲ୍ଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବାର ସମ୍ଭାବନା ଥିବାରୁ ଅରେଞ୍ଜ ଆଲର୍ଟ ଜାରି କରାଯାଇଛି । ସେହିପରି ନବରଙ୍ଗପୁର, କଳାହାଣ୍ଡି, ବୌଦ୍ଧ ଓ ଅନୁଗୁଳରେ ପ୍ରବଳ ବର୍ଷା ପାଇଁ ୟେଲୋ ଓ୍ବାର୍ଣ୍ଣିଂ ଜାରି ହୋଇଛି ।
ସେହିପରି ୨୮ ରେ ସାରା ରାଜ୍ୟରେ ବର୍ଷା ସମ୍ଭାବନା ଥିବା ବେଳେ ଗଞ୍ଜାମ, ଗଜପତି, ରାୟଗଡ଼ା, କୋରାପୁଟ ଓ ମାଲକାନଗିରିରେ ରେଡ୍ ଆଲର୍ଟ ଜାରି କରାଯାଇଥିବା ବେଳେ ନବରଙ୍ଗପୁର, କଳାହାଣ୍ଡି, କନ୍ଧମାଳ, ନୟାଗଡ, ଖୋର୍ଦ୍ଧା, କଟକ, କେନ୍ଦ୍ରାପଡା, ଜଗତସିଂପୁର, ଯାଜପୁର, ଢେଙ୍କାନାଳ, ମୟୂରଭଞ୍ଜ, କେଉଁଝର, ବାଲେଶ୍ୱର ଓ ଭଦ୍ରକ ଜିଲ୍ଲାରେ ଅରେଞ୍ଜ ଆଲର୍ଟ ଜାରି କରାଯାଇଛି । ଅବଶିଷ୍ଟ ୧୦ ଜିଲ୍ଲାରେ ୟେଲୋ ଆଲର୍ଟ ଜାରି କରିଛି ପାଣିପାଗ ବିଭାଗ ।








