ବ୍ରହ୍ମପୁର :ଜେଏମଜେ ନ୍ୟୁଜ : (ବିଭୁତି ଶତପଥୀ ): ତଳେ ପୋଖରୀର ଦୂଷିତ ଜଳ, ଆଉ ଉପରେ ମୃତ୍ୟୁର ଫାଶୀ ଏ ଦୃଶ୍ୟ ହେଉଛି ଗଞ୍ଜାମ ଜିଲ୍ଲା କୁକୁଡାଖଣ୍ଡି ବ୍ଲକ ଲାଠି ପଞ୍ଚାୟତ ବେନ୍ଦାଳିଆ ଗ୍ରାମର। ଏବେ ଦେଖନ୍ତୁ, କିଭଳି ଭାବରେ ଏହି ବିଦ୍ୟୁତ କେବୁଲ ତାର ଟ୍ରାନସଫର୍ମର ନିକଟରୁ ବାହାରି ଅତି ବିପଦାତ୍ମକ ଭାବେ ଯାଇଛି ଓ ଅନେକ ସ୍ଥାନରେ ପୋଖରୀର ଜଳରେ ବୁଡି ରହିଛି ତ କେଉଁଠି ବୁଦା ଓ ଘଞ୍ଚ ଜଙ୍ଗଲ ମଧ୍ୟରେ ଲୁଚି ରହି ପୋଖରୀ ହୁଡା ମଧ୍ଯ ଦେଇ ବୋରିଂ ନିକଟରେ ପହଞ୍ଚିଛି।

ଯାହା ବିଦ୍ୟୁତ ବିଭାଗର ବେପାରୁଆ ମନୋଭାବର ପରିଚୟ ଦେବା ସହ ଆଗାମି ଦିନରେ ଏକ ନିଶ୍ଚିତ ବିପଦକୁ ଡାକି ଆଣୁଛି। ଏଭଳି ସ୍ଥିତିରେ ପାଣି ଭିତରକୁ ଯିବା ଯେତିକି ବିପଦ, ପାଣି ଠାରୁ ଅଳ୍ପ ଉଚ୍ଚତାରେ ଥିବା ତାର ମଧ୍ୟ ସେତିକି ବିପଦ। ପ୍ରତି ମୁହୂର୍ତ୍ତରେ ରହିଛି ଜୀବନ ପ୍ରତି ବିପଦ। ଟିକିଏ ଅସାବଧନତା ହେଲେ ଘଟି ପାରେ ବଡ ଅଘଟଣ। ପ୍ରତିଦିନ ଶହ ଶହ ସଂଖ୍ୟାରେ ଗ୍ରାମବାସୀ ସ୍ନାନ ଶୌଚ ନିମନ୍ତେ ଉକ୍ତ ପୋଖରୀକୁ ଆସିଥାନ୍ତି। ଏଠାରେ ସ୍ନାନ କରି ବିଭିନ୍ନ ଚର୍ମଜନିତ ରୋଗରେ ଆକ୍ରାନ୍ତ ହେବା ସହ ପାନୀୟ ଜଳ ସଙ୍କଟ ଯୋଗୁଁ ହଇଜା ଆକ୍ରାନ୍ତ ମଧ୍ଯ ହେଉଥିବା ଅଭିଯୋଗ ହୋଇଛି।

ଆଉ ଏତିକି ବେଳେ ବିପଦାତ୍ମକ ବିଦ୍ୟୁତ ତାର ଯୋଗୁଁ କେତେବେଳେ ଯେ କଣ ଅଘଟଣ ଘଟିବ, ତାହା କହି ହେବ ନାହିଁ। ତେଣୁ ଭଗବାନ ଭରସାରେ ରହିଛନ୍ତି ଗ୍ରାମବାସୀ। ଆଉ ଏ ନେଇ ଗ୍ରାମବାସୀ ସ୍ଥାନୀୟ ସରପଞ୍ଚଙ୍କ ଠାରୁ ଆରମ୍ଭ କରି ପ୍ରଶାସନ ଓ ବିଭାଗୀୟ କତୃପକ୍ଷଙ୍କ ନିକଟରେ ବାରମ୍ୱାର ଅଭିଯୋଗ କରିଥିଲେ ମଧ୍ଯ କେହି ସମସ୍ୟାର ସମାଧାନ ପ୍ରତି ଗୁରୁତ୍ୱ ଦେଉ ନ ଥିବା ନେଇ ଅଭିଯୋଗ କରିଛନ୍ତି ଗ୍ରାମବାସୀ।

ତେଣୁ ତୁରନ୍ତ ଯୁଦ୍ଧକାଳୀନ ଭିତ୍ତିରେ ଏହାର ସ୍ଥାୟୀ ସମାଧାନ କରିବା ପାଇଁ ସାଧାରଣରେ ଦାବି ହୋଇଛି।






