ଜେଏମଜେ ବ୍ୟୁରୋ : ଆଜି ପବିତ୍ର କୁମାର ପୂର୍ଣ୍ଣମୀ। ଏହି ସନ୍ଧ୍ୟାରେ ମା’ଙ୍କର ଆବାହନକୁ ଅପେକ୍ଷା କରି ଆଶିଷ ଲାଭ ପାଇଁ ବ୍ୟଗ୍ର ହୋଇ ଉଠିଛନ୍ତି ଶ୍ରଦ୍ଧାଳୁଭକ୍ତ। ଢେଙ୍କାନାଳର ପ୍ରସିଦ୍ଧ ଗଜଲକ୍ଷ୍ମୀ ପୂଜା ପାଇଁ ସହର ଚଳଚଞ୍ଚଳ ହେବା ସହ କୋଳାହଳରେ ପୁରିଉଠିଛି। ସଂସ୍କୃତି, ଐତିହ୍ୟ, ଭାଇଚାରା ସମନ୍ୱୟ ମଧ୍ୟରେ ଜଗତ୍ ଜନନୀ ମା’ଗଜଲକ୍ଷ୍ମୀଙ୍କ ମୃଣ୍ମୟୀ ମୂର୍ତ୍ତିପୂଜାକୁ ଜାତି, ଧର୍ମ, ବର୍ଣ୍ଣ ନିର୍ବିଶେଷରେ ଢେଙ୍କାନାଳବାସୀ ଆନନ୍ଦ ଓ ଉତ୍ସାହର ସହିତ ପାଳନ କରୁଛନ୍ତି। ଗତ ୧୯୨୩ ମସିହାରୁ ଡାଳ ଛାମୁଣ୍ଡିଆ ତଳେ ପାଳନ ହୋଇଆସୁଥିବା ଏହି ପୂଜା ମହୋତ୍ସବ ସଂପ୍ରତି ବଡ଼ବଡ଼ ତୋରଣ ସହିତ ବ୍ୟାପକ ହୋଇଛି। ଚଳିତ ବର୍ଷ ପୂଜାକୁ ସରସ ସୁନ୍ଦର ଓ ଶୃଙ୍ଖଳିତ ଏବଂ ଆକର୍ଷଣୀୟ କରିବା ଲାଗି ପ୍ରତ୍ୟେକ ପୂଜା କମିଟିର କର୍ମକର୍ତ୍ତା ମଣ୍ଡପ ସାଜସଜ୍ଜାଠାରୁ ଆରମ୍ଭକରି ମା’ଙ୍କର ମୂର୍ତ୍ତି ଏବଂ ତୋରଣ ସାଜସଜା ଆଦି ପ୍ରସ୍ତୁତି ପର୍ବକୁ ଅନ୍ତିମସ୍ତରରେ ପହଞ୍ଚାଇ ସାରିଛନ୍ତି।
ପ୍ରକାଶଥାଉକି, ଢେଙ୍କାନାଳ ପ୍ରସିଦ୍ଧ ଗଜଲକ୍ଷ୍ମୀ ପୂଜା ପବିତ୍ର କୁମାର ପୂର୍ଣ୍ଣମୀ ତିଥୀ ୨୫ରୁ ଆରମ୍ଭ ହୋଇ ୧୦ ଦିନ ଧରି ଧୁମ୍ଧାମରେ ଚାଲିବା ସହ ୧୧ ଦିନ ତଥା ଆସନ୍ତା ୪ ତାରିଖରେ ଭସାଣି ଶୋଭାଯାତ୍ରା ଅନୁଷ୍ଠିତ ହେବ। ଚଳିତ ବର୍ଷ ୪୧ ଟି ପୂଜା ମଣ୍ଡପରେ ମା’ଙ୍କର ଆବିର୍ଭାବ ପାଇଁ ଆବାହନ କରାଯିବ। ବଜାର କମିଟି, ଜିଲ୍ଲା ପ୍ରଶାସନ ମିଳିତ ସହଯୋଗରେ ପୂଜା ମହୋତ୍ସବକୁ ଆକର୍ଷଣୀୟ ଓ ମନୋରମ କରିବା ଲାଗି ହିନ୍ଦୁ, ମୁସଲମାନ ଭାଇଙ୍କ ସମନ୍ୱୟ ସହଯୋଗରେ ଚାଲିଥିବା ପ୍ରସ୍ତୁତିକାର୍ଯ୍ୟ ଶେଷ ହୋଇଛି। ପୌରାଣିକ ଘଟଣାବଳୀକୁ ନେଇ ମା’ ଗଜଲକ୍ଷ୍ମୀଙ୍କ ମୃଣ୍ମୟ ମୂର୍ତ୍ତି ନିର୍ମାଣ କରି କାରିଗରମାନେ ସେମାନଙ୍କ କଳାନୈପୁଣର ଶେଷସ୍ପର୍ଶ ରବିବାର ସନ୍ଧ୍ୟା ପୂର୍ବରୁ ଦେବାକୁ ଲାଗିପଡ଼ିଛନ୍ତି। ସନ୍ଧ୍ୟା ୭ଟା ପରେ ମାହେନ୍ଦ୍ରବେଳାରୁ ଆରମ୍ଭ କରି ବିଳମ୍ବିତ ରାତି ପର୍ଯ୍ୟନ୍ତ ମା’ଙ୍କର ଆବାହନ ପୂଜା କରାଯିବ। ପାର୍ବଣକୁ ମନଲୋଭା କରିବାଲାଗି ପୂଜାମଣ୍ଡପ ସମ୍ମୁଖରେ ଏବଂ ବଜାରର ନିଜନିଜ ମେଢ଼ ସୀମାନ୍ତ ସ୍ଥାନ ଗୁଡ଼ିକରେ ଦେଶବିଦେଶର ବିଭିନ୍ନ ପ୍ରକାର କାରୁକାର୍ଯ୍ୟ ଓ କଳାସଂସ୍କୃତି ଆଧାରରେ ନାନାବିଧ ତୋରଣମାନ ନିର୍ମାଣ ଶେଷ ପର୍ଯ୍ୟାୟରେ ମଧ୍ୟ ପହଞ୍ଚିଛି। ରାଜ୍ୟ ତଥା ରାଜ୍ୟ ବାହାରୁ ବ୍ୟବସାୟୀମାନେ ବିଭିନ୍ନ ସାମଗ୍ରୀ ଓ ଦୋଳିଆଣି ସହରରେ ନିଜର ପସରା ମେଲାଇସାରିଛନ୍ତି। ବିଭିନ୍ନ ପୂଜାବଜାର ପକ୍ଷରୁ ସାଂସ୍କୃତିକ କାର୍ଯ୍ୟକ୍ରମ କରାଯିବା ଲାଗି ମଧ୍ୟ ପ୍ରସ୍ତୁତି ପର୍ବ ଆରମ୍ଭ ହୋଇଗଲାଣି।






