ଜେଏମଜେ ବ୍ୟୁରୋ : କୁଆଁର ପୁନେଁଇ ଜହ୍ନ ଗୋ ଫୁଲ ବଉଳବେଣୀ । ଆଜି ପବିତ୍ର କୁମାର ପୂର୍ଣ୍ଣିମା । ଉମାମହେଶ୍ବରଙ୍କ ଜ୍ୟେଷ୍ଠପୁତ୍ର ପ୍ରଭୁ ଶ୍ରୀ କାର୍ତ୍ତିକେୟଙ୍କ ଜନ୍ମଦିନ ଥିବାରୁ ଏହି ପୂଜା କଲେ ତାଙ୍କ ଭଳି ସୌମ୍ୟ,ସୁନ୍ଦର ଓ ବୀର ବର ମିଳେ ବୋଲି ଲୋକ ବିଶ୍ବାସ ରହିଛି । ତେଣୁ ସର୍ବଗୁଣସମ୍ପନ୍ନ ଜୀବନସାଥୀଟିଏ ପାଇବାକୁ କୁମାରୀମାନେ ଏହି ପୂଜା କରନ୍ତି ।ପରମ୍ପରା ଅନୁଯାୟୀ ସକାଳ ନ ପାଉଣୁ ଗାଧୋଇ ପାଧୋଇ ନୂଆ ଲୁଗା ପିନ୍ଧି କୁମାରୀମାନେ ସୂର୍ଯ୍ୟୋଦୟ ପୂର୍ବରୁ ସୂର୍ଯ୍ୟଦେବତାଙ୍କୁ ଆଞ୍ଜୁଳି ଟେକନ୍ତି । ଚଉରା ମୂଳ ଲିପି ମୁରୁଜ ପକାଇ ଆରମ୍ଭ ହୁଏ ମା’ ବୃନ୍ଦାବତୀଙ୍କ ପୂଜାର୍ଚ୍ଚନା । ଖଇ, ଗୁଆ, କଦଳୀ, ନଡ଼ିଆ, କାକୁଡ଼ି, ଜହ୍ନି ଓ ଆଖୁ ଭଳି ଫଳ ଭୋଗ ଲାଗେ । ସନ୍ଧ୍ୟାରେ କୁମାରୀମାନେ ଚଉରା ମୂଳେ ଏକତ୍ର ହୋଇ କରନ୍ତି ଚାନ୍ଦ ପୂଜା । ଜହ୍ନ ଉଇଁଲେ ଆରମ୍ଭ ହୋଇଯାଏ ଚନ୍ଦ୍ରମାଙ୍କ ପୂଜା । କୁଆଁରୀଙ୍କ ହୁଳହୁଳି ଶବ୍ଦରେ କମ୍ପିଉଠେ ପୂରା ପରିବେଶ । ଖଇ, ନଡ଼ିଆ, କଦଳୀ, ଛେନା ଓ ଗୁଡ଼ ଆଦିରେ ପ୍ରସ୍ତୁତ ଚାନ୍ଦ ଚକଟା ପୂନେଇଁ ଜହ୍ନକୁ ଭୋଗ ଲାଗେ ।
କୁମାର ପୂର୍ଣ୍ଣିମା ଦିନକୁ ଲକ୍ଷ୍ମୀଙ୍କର ଜନ୍ମଦିନ ରୂପେ ମଧ୍ୟ ପାଳନ କରାଯାଏ । ଏହି ଦିନ ସମୃଦ୍ଧିର ଦେବୀ ମା’ଗଜଲକ୍ଷ୍ମୀଙ୍କୁ ପୂଜା କରାଯାଇଥାଏ । ସାଧାରଣତଃ ଗଜଲକ୍ଷ୍ମୀଙ୍କୁ ଦିନଟିଏ ପାଇଁ ହିଁ ପୂଜା କରାଯାଇଥାଏ । କିନ୍ତୁ କେତେକ ସ୍ଥାନରେ ଏହି ପୂଜା ୭ ରୁ୧୦ ଦିନ ଧରି ମଧ୍ୟ କରାଯାଇଥାଏ । ଏହି ପୂଜା ଅବସରରେ ଓଡ଼ିଶାର ବିଭିନ୍ନ ସ୍ଥାନରେ ସୁନ୍ଦର ଗଜଲକ୍ଷ୍ମୀ ମେଢ଼ ତିଆରି ହୋଇଥାଏ ।






