ଭୁବନେଶ୍ୱର : ଜେଏମଜେ ନ୍ୟୁଜ : ସାରର କଳାବଜାରୀ, ମହଜୁଦକରଣ ଏବଂ ନିମ୍ନମାନର ସାର ଯୋଗାଣ ଭଳି ବିଭିନ୍ନ ଅନୈତିକ କାର୍ଯ୍ୟକଳାପକୁ ରୋକିବା ପାଇଁ ସରକାରଙ୍କ ପକ୍ଷରୁ ଜିଲ୍ଲା ଓ ବ୍ଲକ ସ୍ତରରେ ଏନ୍ଫୋର୍ସମେଣ୍ଟ ସ୍କ୍ୱାଡ୍ ଗଠନ କରାଯାଇଛି।

ଚଳିତ ଆର୍ଥିକ ବର୍ଷରେ ଏପର୍ଯ୍ୟନ୍ତ ସମଗ୍ର ରାଜ୍ୟରେ ୧୧,୬୮୪ଟି ସାର ଦୋକାନରେ ଚଢ଼ାଉ କରାଯାଇଛି। ୨,୭୭୪ ଜଣଙ୍କୁ କାରଣ ଦର୍ଶାଅ ନୋଟିସ୍ ଜାରି କରାଯାଇଛି। ୩୨୧ ଜଣ ଡିଲରଙ୍କ ସାର ବିକ୍ରିକୁ ସାମୟିକ ଭାବେ ବନ୍ଦ କରାଯାଇଛି।

ଏହା ସହିତ, ଅନୈତିକ କାର୍ଯ୍ୟକଳାପରେ ଲିପ୍ତ ଥିବା ଅଭିଯୋଗରେ ୧୭୦ ଜଣ ଡିଲରଙ୍କ ଲାଇସେନ୍ସ ନିଲମ୍ବିତ କରାଯାଇଥିବାବେଳେ ୯୬ ଜଣ ଡିଲରଙ୍କ ଲାଇସେନ୍ସ ବାତିଲ କରାଯାଇଛି। ଏଥିସହିତ, ଅନିୟମିତତାରେ ଲିପ୍ତ ୧୨ ଜଣ ଡିଲରଙ୍କ ମହଜୁଦ ଥିବା ସାରକୁ ଜବତ କରାଯାଇଛି ଏବଂ ସେମାନଙ୍କ ମଧ୍ୟରୁ ୭ ଜଣଙ୍କ ବିରୋଧରେ ଅପରାଧିକ ମାମଲା ରୁଜୁ ହୋଇଛି।








