କୋରାପୁଟ : ଜେଏମଜେ ନ୍ୟୁଜ : ରବି ଋତୁରେ ଚାଷୀଙ୍କୁ ଆର୍ଥିକ ସହାୟତା ଯୋଗାଇଦେବା ଲକ୍ଷ୍ୟରେ ସିଏମ୍-କିଷାନ ଯୋଜନାର ୫ମ କିସ୍ତି ଶୁକ୍ରବାର ପ୍ରଦାନ କରାଯାଇଛି। ଭୁବନେଶ୍ୱରସ୍ଥିତ ଓୟୁଏଟିର କୃଷି ଶିକ୍ଷା ସଦନଠାରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଏହି କିସ୍ତିର ଶୁଭାରମ୍ଭ କରିଥିଲେ। ଏହାର ସିଧାପ୍ରସାରଣ କୋରାପୁଟ ସଦ୍ଭାବନା ସଭାଗୃହରେ ଆୟୋଜିତ ଜିଲାସ୍ତରୀୟ କାର୍ଯ୍ୟକ୍ରମରେ କରାଯାଇଥିଲା।କୋରାପୁଟ ଜିଲାର ୧୪ଟି ବ୍ଲକ୍ର ୮୮,୨୮୯ ଜଣ ଚାଷୀଙ୍କୁ ମୋଟ ୧୭ କୋଟି ୮୮ ଲକ୍ଷ ୮୨ ହଜାର ୫୦୦ ଟଙ୍କାର ଆର୍ଥିକ ସହାୟତା ପ୍ରଦାନ କରାଯାଇଛି। ଏଥିରେ କ୍ଷୁଦ୍ର ଓ ନାମମାତ୍ର ଚାଷୀଙ୍କ ସମେତ ଭୂମିହୀନ କୃଷି ପରିବାରକୁ ସାମିଲ କରାଯାଇଛି।
ସୂଚନା ଅନୁଯାୟୀ, ଜିଲାର ୮୭,୨୮୧ ଜଣ କ୍ଷୁଦ୍ର ଓ ନାମମାତ୍ର ଚାଷୀଙ୍କୁ ୧୭ କୋଟି ୪୫ ଲକ୍ଷ ୬୨ ହଜାର ଟଙ୍କା ପ୍ରଦାନ କରାଯାଉଛି। ସେହିପରି ୧,୦୦୮ ଜଣ ଭୂମିହୀନ କୃଷି ପରିବାରଙ୍କୁ ୪୩ ଲକ୍ଷ ୨୦ ହଜାର ୫୦୦ ଟଙ୍କା ପ୍ରଦାନ କରାଯାଇଛି।
ବ୍ଲକ୍ସ୍ତରୀୟ ହିସାବ ଅନୁଯାୟୀ, କୋଟପାଡ଼ରେ ସର୍ବାଧିକ ୯,୪୪୨ ଜଣ ଏବଂ ବୋରିଗୁମ୍ମାରେ ୯,୩୨୧ ଜଣ ହିତାଧିକାରୀ ରହିଛନ୍ତି। ଜୟପୁରରେ ୪,୨୮୫, କୋରାପୁଟରେ ୫,୬୨୮, ଲମତାପୁଟରେ ୭,୭୫୨, ନନ୍ଦପୁରରେ ୭,୭୦୧ ଏବଂ ସେମିଳିଗୁଡ଼ାରେ ୭,୭୧୨ ଜଣ ହିତାଧିକାରୀ ଅଛନ୍ତି। ରବି ଋତୁରେ ଏହି ସହାୟତା ଚାଷୀଙ୍କ ପାଇଁ ଆର୍ଥିକ ଭାବେ ସହାୟକ ହେବ ବୋଲି ଆଶା କରାଯାଉଛି।






