ଜେଏମଜେ ବ୍ୟୁରୋ : ଦିନକ ପରେ ପଶ୍ଚିମ ଓଡ଼ିଶାର ଗଣପର୍ବ ନୂଆଁଖାଇ। ଏହାକୁ ନେଇ ଗାଁଠୁ ସହର ସବୁଠି ଉତ୍ସବର ମାହୋଲ। ଘରଦ୍ୱାର ସଫାସୁତରାଠାରୁ ଆରମ୍ଭ କରି ନୂଆ ବସ୍ତ୍ର, ପୂଜା ସାମଗ୍ରୀ ଓ ବିଭିନ୍ନ ଖାଦ୍ୟପଦାର୍ଥ କିଣାକିଣିରେ ବ୍ୟସ୍ତ ଲୋକେ। ତେବେ ଏହି ପର୍ବର ପ୍ରସ୍ତୁତି ଭିତରେ ଅନେକ ପରିବାର ପାଇଁ ଶାଳପତ୍ର ପାଲଟିଛି ରୋଜଗାରର ମାଧ୍ୟମ।
ବିଭିନ୍ନ ଗାଁର ଲୋକେ ଏବେ ଜଙ୍ଗଲରୁ ଶାଳପତ୍ର ଓ ରେଙ୍ଗଲପତ୍ର ସଂଗ୍ରହ କରିବାରେ ବ୍ୟସ୍ତ। ବର୍ଷସାରା ଜଙ୍ଗଲରୁ ପତ୍ର ସଂଗ୍ରହ କରି ସେଥିରୁ ଖଲି ଓ ଦନା ପ୍ରସ୍ତୁତ କରିଥାନ୍ତି ଏଠାକାର ଲୋକେ। ନୂଆଁଖାଇ ପରେ ଦୁର୍ଗାପୂଜା ଭଳି ବଡ଼ ପର୍ବ ଆସୁଥିବାରୁ ଏବେ ଶାଳପତ୍ର ଖଲି ଓ ଦନାର ଚାହିଦା ବଢ଼ିଛି। ଫଳରେ ଅର୍ଡର ମଧ୍ୟ ବଢ଼ିବାରେ ଲାଗିଛି।

ଯୁଗ ବଦଳିଛି। ଲୋକଙ୍କ ଖାଦ୍ୟ ଖାଇବାର ଶୈଳୀ ବଦଳିଛି। ତଥାପି ଶାଳପତ୍ରର ଚାହିଦା ଆଜି ବି କମିନାହିଁ। ବିଭିନ୍ନ ପର୍ବପର୍ବାଣୀ, ପୂଜା, ବିବାହ ଓ ସାମାଜିକ କାର୍ଯ୍ୟକ୍ରମରେ ଶାଳପତ୍ରରେ ତିଆରି ଖଲି ଓ ଦନାର ବ୍ୟବହାର ରହିଛି। ଏହା କେବଳ ପରିବେଶ ଅନୁକୂଳ ବିକଳ୍ପ ନୁହେଁ, ଏହା ସହ ଜଡ଼ିତ ରହିଛି ଓଡ଼ିଶାର ଗ୍ରାମୀଣ ପରମ୍ପରା ଓ ସଂସ୍କୃତି।

ନୂଆଁଖାଇ ଭଳି ପାରମ୍ପରିକ ପର୍ବରେ ଶାଳପତ୍ରର ଗୁରୁତ୍ୱ ଆହୁରି ବଢ଼ିଯାଏ। ନୂଆ ଧାନରୁ ପ୍ରସ୍ତୁତ ଖାଦ୍ୟ ଓ ନବାନ୍ନ ପରିବାରର ସମସ୍ତେ ଏକାଠି ବସି ଖାଇବାର ପରମ୍ପରା ରହିଥିବାରୁ ଖଲି ଓ ଦନାର ଚାହିଦା ବଢ଼ିଥାଏ। ଏହି ଚାହିଦା ହିଁ ଧରୁଆପଡ଼ାର ଅନେକ ପରିବାର ପାଇଁ ଅତିରିକ୍ତ ରୋଜଗାରର ସୁଯୋଗ ଆଣିଛି।ପ୍ରକୃତିର କୋଳରୁ ସଂଗ୍ରହ ହେଉଥିବା ଶାଳପତ୍ର ଆଜି ଗରିବ ପରିବାରଙ୍କୁ ରୋଜଗାର ଦେଉଛି। ନୂଆଁଖାଇର ଉତ୍ସବ ମାହୋଲ ଭିତରେ ଏହି ପରିବାରମାନଙ୍କ ପରିଶ୍ରମ ମଧ୍ୟ ଏକ ବଡ଼ କାହାଣୀ କହୁଛି, ପରମ୍ପରାକୁ ବଞ୍ଚାଇ ରଖିବା ସହ ନିଜ ଜୀବିକାକୁ ଆଗକୁ ନେବାର କାହାଣୀ। ତେବେ ଏହି ପରିଶ୍ରମୀ ପରିବାରମାନଙ୍କ ଉପରେ ସରକାର ଓ ପ୍ରଶାସନର ଶୁଭଦୃଷ୍ଟି କେବେ ପଡ଼ିବ, ତାହାକୁ ଅପେକ୍ଷା।







