ଭୁବନେଶ୍ବର: ଜେଏମଜେ ନ୍ୟୁଜ : ୨୦୨୭ରେ ହେବାକୁ ଥିବା ଯୁକ୍ତ ୨ ପ୍ରାକ୍ଟିକାଲ ଓ ଥିଓରି ପରୀକ୍ଷା ପାଇଁ ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ(ସିଏଚ୍ଏସ୍ଇ) ପ୍ରସ୍ତୁତି ଆରମ୍ଭ ହୋଇଛି। ପରୀକ୍ଷା ପୂର୍ବରୁ ପରୀକ୍ଷା ପରିଚାଳନା ହବ୍ ଓ ପରୀକ୍ଷା କେନ୍ଦ୍ରରେ ସିସିଟିଭି ଲଗାଇବାକୁ ପରିଷଦ ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଛି। ଏଥିସହ ଯେଉଁଠି ପରୀକ୍ଷା କେନ୍ଦ୍ର ହୋଇଥିଲା, ସେଠାରେ ଲାଗିଥିବା ସିସିଟିଭି କିଭଳି କାର୍ଯ୍ୟକ୍ଷମ ହେଉଛି କି ନାହିଁ ତାହାର ରିପୋର୍ଟ ଦେବାକୁ ପରିଷଦ ପକ୍ଷରୁ ରାଜ୍ୟର ସମସ୍ତ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ଅଧ୍ୟକ୍ଷଙ୍କୁ କୁହାଯାଇଛି।
ମିଳିଥିବା ସୂଚନାନୁସାରେ, ୨୦୨୭ ପରୀକ୍ଷାକୁ ସ୍ବଚ୍ଛ ଓ ସହଜ କରିବାକୁ ପରିଚାଳନା ହବ୍, କେନ୍ଦ୍ର ସୁପରିଟେଣ୍ତେଣ୍ଟଙ୍କ କାର୍ଯ୍ୟାଳୟ, ପରୀକ୍ଷା ହଲ୍, ସେଲ୍ଫ ଫାଇନାନ୍ସିଂ କଲେଜର ସମସ୍ତ ଲାବରାଟୋରିରେ ସିସିଟିଭି ବାଧ୍ୟତାମୂଳକ ହୋଇଛି। ପରିଷଦ ମୁଖ୍ୟାଳୟ, ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ, ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପକ୍ଷରୁ ପରୀକ୍ଷା ପରିଚାଳନାର ତଦାରଖ କରାଯିବାକୁ ଥିବାରୁ ନଭେମ୍ବର ୩୦ ସୁଦ୍ଧା ସିସିଟିଭି ଲଗାଇବେ। ଯେଉଁଠାରେ ସିସିଟିଭି ନ ଲାଗିଛି ତୁରନ୍ତ ଲଗାଇବା, ଯେଉଁଠି କାର୍ଯ୍ୟକ୍ଷମ ହେଉ ନାହିଁ ତାହାକୁ ମରାମତି କରିବା, ପ୍ରଶ୍ନପତ୍ର ପହଞ୍ଚିବା କ୍ଷଣି ତାହାକୁ କ୍ୟାମେରା ନଜରରେ ରଖିବାକୁ ନିର୍ଦ୍ଦେଶ ଦିଆଯାଇଛି।






