ଭୁବନେଶ୍ୱର:ଜେଏମଜେ ନ୍ୟୁଜ : ପାଣିପାଗ ବିଭାଗର ସୂଚନା ଅନୁଯାୟୀ, ଏହି ବାତ୍ୟା ଉତ୍ତର ଆନ୍ଧ୍ରପ୍ରଦେଶ ଏବଂ ଦକ୍ଷିଣ ଓଡ଼ିଶା ମଧ୍ୟରେ ୨୮ ତାରିଖରେ ସ୍ଥଳଭାଗ ଛୁଇଁବ ବୋଲି ପୂର୍ବାନୁମାନ କରାଯାଉଛି। ତେବେ ଆନ୍ଧ୍ରପ୍ରଦେଶ ଉପକୂଳରେ ସ୍ଥଳଭାଗ ଛୁଇଁବାର ଅଧିକ ସମ୍ଭାବନା ରହିଛି। ଏହାର ପ୍ରଭାବରେ ରାଜ୍ୟର ବିଭିନ୍ନ ଜିଲ୍ଲାରେ ପ୍ରବଳ ଏବଂ ପ୍ରବଳରୁ ଅଧିକ ପ୍ରବଳ ବର୍ଷା ହେବ। ଏହାକୁ ଦୃଷ୍ଟିରେ ରଖି ପ୍ରଶାସନ ପକ୍ଷରୁ ବ୍ୟାପକ ପ୍ରସ୍ତୁତି କରାଯାଇଛି। ଦକ୍ଷିଣ ଓଡ଼ିଶାର ୫ଟି ଜିଲ୍ଲା– କୋରାପୁଟ, ମାଲକାନଗିରି, ଗଞ୍ଜାମ, ଗଜପତି ଓ ରାୟଗଡ଼ାରେ ୨୪ଟି ଓଡ୍ରାଫ୍, ୬ଟି ଏନ୍ଡିଆର୍ଏଫ୍ ଟିମ୍ ମୁତୟନ କରାଯାଇଥିବା ବେଳେ ପ୍ରତିରକ୍ଷା ବାହିନୀର ସହାୟତା ମଧ୍ୟ ଲୋଡ଼ାଯାଇଛି। ବିପର୍ଯ୍ୟୟ ପରିଚାଳନା ପାଇଁ ଜିଲ୍ଲା ଜରୁରୀକାଳୀନ ଅପରେସନ୍ କେନ୍ଦ୍ର ସମେତ ସମସ୍ତ ବ୍ଲକ, ତହସିଲ ଓ ପୌରାଞ୍ଚଳରେ ୨୪/୭ କଣ୍ଟ୍ରୋଲ ରୁମ୍ କାର୍ଯ୍ୟକାରୀ କରାଯାଇଛି।ଟୋଲ୍-ଫ୍ରି ନମ୍ବର,ସମେତ ଜିଲ୍ଲାଗୁଡ଼ିକର ସ୍ୱତନ୍ତ୍ର ହେଲ୍ପଲାଇନ୍ ନମ୍ବର ଜନସାଧାରଣଙ୍କ ପାଇଁ ଉପଲବ୍ଧ ଅଛି।
ପ୍ରଶାସନ ପକ୍ଷରୁ ଜାରି ନିର୍ଦ୍ଦେଶାନୁସାରେ, ଗଞ୍ଜାମ ଜିଲ୍ଲା: ସର୍ବାଧିକ ପ୍ରଭାବ ଆଶଙ୍କାଥିବା ଏହି ଜିଲ୍ଲାରେ ୯ଟି ଓଡ୍ରାଫ୍ ଏବଂ ୨ଟି ଏନଡିଆରଏଫ୍ ଟିମ୍ ସମେତ ମୋଟ ୧୧ଟି ଟିମ୍ ମୁତାବୟନ ହୋଇଛନ୍ତି।ଗଜପତି ଜିଲ୍ଲା: ଏଠାରେ ୬ଟି ଓଡ୍ରାଫ୍ ଏବଂ ୧ଟି ଏନଡିଆରଏଫ୍ ଟିମ୍ (ମୋଟ ୭ଟି) ପ୍ରସ୍ତୁତ ରହିଛନ୍ତି।ରାୟଗଡ଼ା ଜିଲ୍ଲା: ଏହି ଜିଲ୍ଲା ପାଇଁ ୩ଟି ଓଡ୍ରାଫ୍ ଏବଂ ୧ଟି ଏନଡିଆରଏଫ୍ ଟିମ୍ (ମୋଟ ୪ଟି) ନିୟୋଜିତ କରାଯାଇଛି।କୋରାପୁଟ ଜିଲ୍ଲା: ଏଠାରେ ମଧ୍ୟ ୩ଟି ଓଡ୍ରାଫ୍ ଏବଂ ୧ଟି ଏନଡିଆରଏଫ୍ ଟିମ୍ (ମୋଟ ୪ଟି) ମୁତାବୟନ ଅଛନ୍ତି।ମାଲକାନଗିରି ଜିଲ୍ଲା: ଏହି ଜିଲ୍ଲାରେ ୩ଟି ଓଡ୍ରାଫ୍ ଏବଂ ୧ଟି ଏନଡିଆରଏଫ୍ ଟିମ୍ (ମୋଟ ୪ଟି) ଜରୁରୀକାଳୀନ ମୁକାବିଲା ପାଇଁ ପ୍ରସ୍ତୁତ ଅଛନ୍ତି।
ବାତ୍ୟା ସମ୍ଭାବନା ଥିବା ୫ଟି ଜିଲ୍ଲାରେ ସ୍କୁଲ, କଲେଜ ଏବଂ ଅଙ୍ଗନବାଡ଼ି କେନ୍ଦ୍ରଗୁଡ଼ିକୁ ୨୮ ଓ ୨୯ ତାରିଖ ଦିନ ବନ୍ଦ ରଖିବା ପାଇଁ ନିଷ୍ପତ୍ତି ନିଆଯାଇଛି । ସମ୍ଭାବ୍ୟ ବିପର୍ଯ୍ୟୟର ମୁକାବିଲା ପାଇଁ ସମସ୍ତ ଜିଲ୍ଲାସ୍ତରୀୟ ଓ ଅଧିକାରୀଙ୍କ ଛୁଟି ବାତିଲ କରାଯାଇଛି। ସମସ୍ତ ଅଧିକାରୀଙ୍କୁ ନିଜ ନିଜ ମୁଖ୍ୟାଳୟରେ ରହିବାକୁ କୁହାଯାଇଛି।
କଚ୍ଚାଘର, ଝୁମ୍ପଡ଼ି ଓ ନିମ୍ନ ଅଞ୍ଚଳରେ ରହୁଥିବା ଲୋକଙ୍କୁ ଚିହ୍ନଟ କରି ନିରାପଦ ବାତ୍ୟା ଆଶ୍ରୟସ୍ଥଳୀକୁ ସ୍ଥାନାନ୍ତର କରାଯିବାକୁ ନିର୍ଦ୍ଦେଶ ଦିଆଯାଇଛି। ଯେଉଁ ମାଆମାନଙ୍କର ପ୍ରସବ ସମୟ ନିକଟବର୍ତ୍ତୀ ଅଛି, ସେମାନଙ୍କୁ ଚିହ୍ନଟ କରି ପୂର୍ବରୁ ନିକଟସ୍ଥ ଡାକ୍ତରଖାନା, ସିଏଚ୍ସି ଓ ପିଏଚ୍ସିକୁ ଅଣାଯାଉଛି। ଏହାଛଡ଼ା ବୃଦ୍ଧ, ଶିଶୁ ଓ ଦିବ୍ୟାଙ୍ଗମାନଙ୍କ ପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଇଛି।
ସମୁଦ୍ରରେ ମାଛଧରା ଉପରେ ସମ୍ପୂର୍ଣ୍ଣ କଟକଣା ଜାରି ହୋଇଛି। ସେହିପରି ଦକ୍ଷିଣ ଓଡ଼ିଶାର ଏହି ୫ ଜିଲ୍ଲାରେ ପାହାଡ଼, ଜଳପ୍ରପାତ, ଡ୍ୟାମ୍ ଓ ପର୍ଯ୍ୟଟନସ୍ଥଳୀଗୁଡ଼ିକରେ ପର୍ଯ୍ୟଟକଙ୍କ ଯାତାୟାତ ଉପରେ କଟକଣା ଲଗାଯାଇଛି।
କୃଷକମାନଙ୍କୁ ପରାମର୍ଶ: ୮୦-୮୫% ପାଚିଯାଇଥିବା ଧାନ, ମକା, ମାଣ୍ଡିଆ ଓ ଅନ୍ୟାନ୍ୟ ଫସଲକୁ ତୁରନ୍ତ ଅମଳ କରି ସୁରକ୍ଷିତ ସ୍ଥାନରେ ରଖିବାକୁ କୃଷି ବିଭାଗ ପକ୍ଷରୁ ପରାମର୍ଶ ଦିଆଯାଇଛି । କୃଷିର ହେଲ୍ପଲାଇନ୍ ନମ୍ବର ଉପଲବ୍ଧି କରାଯାଇଛି। ଅମଳ ସମୟ ପାଖେଇ ଆସୁଥିବାରୁ, ଚାଷୀ ଭାଇମାନଙ୍କୁ ଆଗୁଆ ସତର୍କ କରି ଫସଲ କାଟି ସୁରକ୍ଷିତ କରି ରଖିବା ପାଇଁ କୁହାଯାଇଛି।
ପାନୀୟ ଜଳର ବିଶୋଧନ (Chlorination), ଡାକ୍ତରଖାନାରେ ଆବଶ୍ୟକୀୟ ଔଷଧ (ସାପକାଟା ଇଞ୍ଜେକ୍ସନ, କ୍ଲୋରିନ୍ ବଟିକା) ଏବଂ ବିଦ୍ୟୁତ୍/ଯୋଗାଯୋଗ ବ୍ୟବସ୍ଥା ତ୍ୱରିତ ପୁନରୁଦ୍ଧାର ପାଇଁ ଅତିରିକ୍ତ ସରଞ୍ଜାମ ପ୍ରସ୍ତୁତ ରଖାଯାଇଛି।
ବିପର୍ଯ୍ୟୟ ସମୟରେ ପଶୁମାନଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରାଯିବା ସହ ପ୍ରାଣୀସମ୍ପଦ ବିଭାଗ ପକ୍ଷରୁ ମୋବାଇଲ୍ ଟିମ୍ ଜରିଆରେ ଜରୁରୀ ଚିକିତ୍ସା ଯୋଗାଇ ଦିଆଯିବା ଓ ପ୍ରଭାବିତ ଅଞ୍ଚଳରେ ପଶୁମାନଙ୍କ ପାଇଁ ପଶୁଖାଦ୍ୟ ବଣ୍ଟନର ବ୍ୟବସ୍ଥା କରାଯିବ ।








